ନୂଆଦିଲ୍ଲୀ : ଭେନେଜୁଏଲାରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଝଟ୍କାରେ ସବୁକିଛି ଛାରଖାର ହୋଇଛି । ରାଜଧାନୀ କାରାକାସ ସମେତ ଅନେକ ସହରରେ ବଡ଼ ବଡ଼ ବିଲିଡିଂ ଧ୍ବଂସ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେନେଜୁଏଲାରେ ଆସିଥିବା ଭୂକମ୍ପ ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି । ଭେନେଜୁଏଲାର ସହାୟତା ପାଇଁ ଭାରତ ଯଥାସମ୍ଭବ ସହାୟତା କରିବା ପାଇଁ ପ୍ରସ୍ତୁତ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ ବୋଲି ମୋଦି କହିଛନ୍ତି ।
ଭେନେଜୁଏଲାରେ ମାତ୍ର ୩୯ ସେକେଣ୍ଡରେ ୨ ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୭.୨ ଏବଂ ଦ୍ଵିତୀୟ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ ହୋଇଛି । ଖବର ଲେଖାଯିବା ସୁଦ୍ଧା ୩୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିବା ଅନୁମାନ କରାଯାଉଛି । ଭୂକମ୍ପ ପରେ କାରିବିଆନ୍ ଦ୍ଵୀପରେ ସୁନାମୀ ଆଲର୍ଟ ଜାରି ହୋଇଛି । ଫଳରେ ରାଷ୍ଟ୍ରପତି ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି।
ତେବେ ୟୁଏସଜିଏସ୍ ମୁତାବକ, ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ହୋଇପାରେ । ଭୂକମ୍ପ ଯୋଗୁଁ ଅଧିକ କ୍ଷୟକ୍ଷତି ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି ।