ପୁଣେ : ମହାରାଷ୍ଟ୍ରର ପୁଣେରେ ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଏବଂ ଚେତନ ଚୌଧୁରୀକୁ ପୋଲିସ ଗିରଫ କରିନେଇଛି । ଏସବୁ ମଧ୍ୟରେ ସିୟା ଗୋୟଲଙ୍କ ବାପା ପ୍ରବୀଣ ଗୋୟଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ସିୟାଙ୍କ ବାପା କହିଛନ୍ତି, ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଆମକୁ ତ ଆଜି ବି ବିଶ୍ୱାସ ହେଉନାହିଁ । ସେମାନେ ତ ସେମାନଙ୍କ ପୁଅକୁ ହରାଇଛନ୍ତି, କିନ୍ତୁ ସେମାନଙ୍କ ଅପେକ୍ଷା ମୁଁ କେତନକୁ ଅଧିକ ଭଲ ପାଉଥିଲି । ମୁଁ ନିଜେ ତାକୁ ମୋ ପୁଅ ଭାବିଥିଲି । ଭଲ ପୁଅକୁ ଆମେ ଆଜି ହରାଇ ଦେଲୁ, ସେଥିପାଇଁ ଆମେ ବହୁତ ଦୁଃଖିତ । ଏହି ଘଟଣାକୁ ନେଇ କଷ୍ଟ କେବଳ ଏତିକି ଯେ, ଯିଏ ବି ତାକୁ ହତ୍ୟା କରିଛି ତାକୁ କଠୋର ଦଣ୍ଡ ମିଳୁ । ଆମ କେତନ ଯେଉଁ ଦୁର୍ଗରୁ ତଳକୁ ପଡ଼ିଛି, ଯିଏ ବି ଦୋଷୀ ସାବ୍ୟସ୍ତ ହେଉନା କାହିଁକି, ସେ ମୋର ନିଜ ଝିଅ ହୋଇଥାଉ ତେବେ ତାକୁ ବି ସେହିଠାରୁ ତଳକୁ ଠେଲି ଦିଆଯାଉ ।
ମୁଁ ଜଣେ ବାପା ହିସାବରେ କହିବି ଯେ, ଅଗ୍ରୱାଲ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି, ଏହାଠାରୁ ଦୁଃଖଦାୟକ ଘଟଣା ଆଉ କିଛି ହୋଇନପାରେ । ଉଭୟଙ୍କ ବିବାହକୁ ନେଇ ଆମର ବହୁତ ଆଶା ଥିଲା । ଯେବେଠାରୁ ବାହାଘର ସ୍ଥିର ହୋଇଥିଲା, ସିୟା ସବୁବେଳେ ଖୁସି ରହୁଥିଲା । ସେ କହୁଥିଲା ଯେ କେତନ ବହୁତ ଭଲ । ମୋତେ ଏତେ ଭଲ ଶାଶୁ, ଶ୍ୱଶୁର ଏବଂ ନଣନ୍ଦ ମିଳିଛନ୍ତି । ମୁଁ ବହୁତ ଖୁସି ଅଛି ।
ଯଦି ମୋ ଝିଅର ପୁରୁଣା ପ୍ରେମିକ ବିଷୟରେ କିଛି ଆମେ ଜାଣିଥାନ୍ତୁ, ତେବେ ହୁଏତ ଆଜି ଏଭଳି ଘଟଣା ଘଟିନଥାନ୍ତା । ସିୟା ଜଣେ ୧୯ ବର୍ଷର ସାଧାରଣ ଝିଅ । ଚେତନ କେଉଁଠାରୁ ଆସିଲା ମୁଁ କିଛି ଜାଣିନାହିଁ ଏବଂ ମୁଁ କେବେ ତା’ର ଚେହେରା ବି ଦେଖିନାହିଁ । ଆମେ କେବେ ତା’ର ନାଁ ମଧ୍ୟ ଶୁଣିନଥିଲୁ ।
ସୂଚନାଯୋଗ୍ୟ, ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ବିବାହ ୨୦ ବର୍ଷୀୟ ସିୟା ଗୋୟଲଙ୍କ ସହିତ ଠିକ୍ ହୋଇଥିଲା । ବିବାହ ପାଇଁ ଉଦୟପୁରରେ ୧୭ କୋଟିର ରାଜପ୍ରସାଦ ବୁକ୍ ହୋଇଥିଲା । କେବଳ ଏତିକି ନୁହେଁ, ପ୍ରି-ୱେଡିଂ ଫଟୋସୁଟ୍ ପାଇଁ ମଧ୍ୟ ବାଲି ଯିବାକୁ ଯୋଜନା କରିଥିଲେ । କିନ୍ତୁ ସିୟା ପାସପୋର୍ଟ ଗାୟବ କରିଦେଇଥିଲେ । ହେଲେ ବିବାହ ପୂର୍ବରୁ ଜନ୍ମଦିନ ଅବସରରେ ଲୋହଗଡ ଦୁର୍ଗକୁ ନେଇ ପ୍ରେମିକ ଚେତନଙ୍କ ସହିତ ଭାବିସ୍ବାମୀ କେତନଙ୍କୁ ଠେଲି ଦେଇଥିଲା ସିୟା ।
