ଗାନ୍ଧୀଜୀଙ୍କ ବାଣୀ: “ଖଦୀ ଲୁଗା ପରିଧାନ କଲେ ଗରିବ ଶ୍ରମଜୀବୀ ପେଟକୁ ଦାନା ମିଳେ।”
ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ଜୀବନ୍ତ ପ୍ରତୀକ : ଉତ୍କଳ ଖଦୀ ମଣ୍ଡଳ
ସଙ୍କଟରୁ ସଫଳତାକୁ — ଶ୍ରୀ ବୈଷ୍ଣବ ଦାସଙ୍କ ନେତୃତ୍ୱରେ ଏକ ପୁନରୁତ୍ଥାନର କାହାଣୀ
ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ଆନ୍ଦୋଳନ ନଥିଲା; ଏହା ଥିଲା ଆତ୍ମନିର୍ଭରତା ଓ ସ୍ୱଦେଶୀ ଚେତନାର ଏକ ବୃହତ୍ ଅଭିଯାନ। ମହାତ୍ମା ଗାନ୍ଧୀଙ୍କ ଏହି ଚିନ୍ତାଧାରାର ଏକ ଜୀବନ୍ତ ପ୍ରତୀକ ହେଉଛି ଉତ୍କଳ ଖଦୀ ମଣ୍ଡଳ, ଯାହା ୧୯୪୭ ମସିହାରେ ଅଖିଳ ଭାରତ ଚରଖା ସଂଘର ପ୍ରାଦେଶିକ ଶାଖା ଭାବେ ଜନ୍ମ ନେଇଥିଲା। ଶ୍ରୀ ଗୋପବନ୍ଧୁ ଚୌଧୁରୀ, ଶ୍ରୀମତୀ ରମାଦେବୀ, ଆଚାର୍ଯ୍ୟ ହରିହର, ଶ୍ରୀ ବିଶ୍ୱନାଥ ପଟ୍ଟନାୟକ ପ୍ରମୁଖ ଏକାଦଶ ଜଣ ସୁନାମଧନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଗତ ସାତ ଦଶନ୍ଧି ଧରି ଓଡ଼ିଶାର ଗ୍ରାମାଞ୍ଚଳରେ ଖଦୀ, ଗ୍ରାମୋଦ୍ୟୋଗ ଓ ଗାନ୍ଧୀବାଦୀ ମୂଲ୍ୟବୋଧର ପ୍ରସାର କରି ଆସୁଛି।
ସଙ୍କଟର ମେଘ ଓ ଏକ ନୂତନ ଆଶାର ଉଦୟ
ପ୍ରତିଷ୍ଠାର ପ୍ରାରମ୍ଭିକ ଦଶନ୍ଧିଗୁଡ଼ିକରେ ଉତ୍କଳ ଖଦୀ ମଣ୍ଡଳ ବେଶ୍ ସୁଚାରୁ ରୂପେ କାର୍ଯ୍ୟ କରୁଥିଲେ ମଧ୍ୟ, ୨୦୦୧-୦୨ ଆର୍ଥିକ ବର୍ଷ ମଣ୍ଡଳ ପାଇଁ ଏକ ଅତ୍ୟନ୍ତ କଠିନ ସମୟ ଆଣିଥିଲା। ଅର୍ଥାଭାବ, ଅଫିସର ବିଦ୍ୟୁତ ଓ ଟେଲିଫୋନ ଲାଇନ କଟାଯିବା, କର୍ମଚାରୀଙ୍କ ଦରମା ବିଳମ୍ବ, ଭୁବନେଶ୍ୱର, ପଦ୍ମପୁର, ସମ୍ବଲପୁର ଆଦି ସ୍ଥାନରେ ମଣ୍ଡଳର ଜମି ଓ ସମ୍ପତ୍ତି ଜବରଦଖଲର ଆଶଙ୍କା — ଏହିପରି ଅନେକ ପ୍ରତିକୂଳତା ମଧ୍ୟରେ ମଣ୍ଡଳ ପ୍ରାୟ ଅଚଳ ଅବସ୍ଥାରେ ପହଞ୍ଚିଯାଇଥିଲା।
ଏହି ଗୁରୁତର ପରିସ୍ଥିତିରେ ମଣ୍ଡଳକୁ ପୁନରୁଦ୍ଧାର କରିବା ପାଇଁ ବରିଷ୍ଠ ସଦସ୍ୟମାନେ ପ୍ରଖ୍ୟାତ ସମାଜସେବୀ ଓ ଆଇନଜୀବୀ ଶ୍ରୀ ବୈଷ୍ଣବ ଦାସଙ୍କୁ ଦାୟିତ୍ୱ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ୨୦୦୨ ମସିହା ଅଗଷ୍ଟ ୨୫ ତାରିଖରେ ସଭାପତି ଦାୟିତ୍ୱ ଗ୍ରହଣ କରି ଶ୍ରୀ ଦାସ ନିଜ ଓକିଲାତି ପେଶାରେ ହେବାକୁ ଥିବା କ୍ଷତିକୁ ମଧ୍ୟ ଗ୍ରାହ୍ୟ ନ କରି ମଣ୍ଡଳର ସେବାରେ ନିଜକୁ ସମର୍ପିତ କରିଦେଇଥିଲେ। ମାସିକ ଭତ୍ତା ଗ୍ରହଣ କରିବାର ପ୍ରସ୍ତାବକୁ ମଧ୍ୟ ମଣ୍ଡଳର ଆର୍ଥିକ ଦୁରବସ୍ଥାକୁ ଦୃଷ୍ଟିରେ ରଖି ସେ ପ୍ରତ୍ୟାଖ୍ୟାନ କରିଥିଲେ — ଏହା ତାଙ୍କ ନିଃସ୍ୱାର୍ଥପର ସେବାର ପ୍ରଥମ ପ୍ରମାଣ ଥିଲା।
ଏକ ଏକ ପାହାଚ ଅଗ୍ରଗତି
ଶ୍ରୀ ବୈଷ୍ଣବ ଦାସଙ୍କ ନେତୃତ୍ୱରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଉତ୍କଳ ଖଦୀ ମଣ୍ଡଳ ଏକ ଉଲ୍ଲେଖନୀୟ ପୁନରୁତ୍ଥାନ ଦେଖିଛି:
ବନ୍ଦ ଭଣ୍ଡାରର ପୁନରାରମ୍ଭ: ଭୁବନେଶ୍ୱର ର କେଦାର ଲେନ୍, ବରୀ-ରାମଚନ୍ଦ୍ରପୁର, କଟକ ଥୋରିଆ ସାହିସ୍ଥିତ ଗୁଣନିଧି ଭବନ ଏବଂ ରାଉରକେଲା ସେକ୍ଟର-୨ର ଖଦୀ ଭଣ୍ଡାରଗୁଡ଼ିକୁ ପୁନଃ ଚାଲୁ କରାଯାଇ ଖଦୀ ବିକ୍ରି ପୁନଃ ଆରମ୍ଭ ହୋଇଥିଲା।
କର୍ମୀମାନଙ୍କ କଲ୍ୟାଣ: ଖଦୀ କର୍ମୀଙ୍କ ମାସିକ ପାରିଶ୍ରମିକ ମାତ୍ର ୧,୦୦୦ ଟଙ୍କାରୁ ବର୍ତ୍ତମାନ ୧୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ସମସ୍ତ କର୍ମୀଙ୍କ ପାଇଁ ରହିବା ଘର ମଧ୍ୟ ଯୋଗାଇ ଦିଆଯାଇଛି।
ସମ୍ପତ୍ତି ସୁରକ୍ଷା: ଭୁବନେଶ୍ୱରର କେଦାର ଲେନ୍ ମଣ୍ଡଳର ଜମି ଜବରଦଖଲରୁ ମୁକ୍ତ କରାଯାଇ ପ୍ରାଚୀର ଓ ଫାଟକ ନିର୍ମାଣ କରାଯାଇଛି। ଗୋପାଳବାଡ଼ିରେ ମଧ୍ୟ ପ୍ରାୟ ୩୦ ଏକର ଜମି ପାଇଁ ସ୍ଥାୟୀ ଲିଜ୍ ଅଧିକାର ସୁରକ୍ଷିତ କରାଯାଇଛି।
ଗାନ୍ଧୀ ଆଦର୍ଶର ପ୍ରସାର: ଭୁବନେଶ୍ୱରରେ ‘ମହାତ୍ମା ଗାନ୍ଧୀ ଭବନ’ ନିର୍ମାଣ, ଗୋପାଳବାଡ଼ି କାର୍ଯ୍ୟାଳୟରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଗୁଣନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତି ଅନାବରଣ, ଗାନ୍ଧୀ ଓ ଖଦୀ ସମ୍ବନ୍ଧୀୟ ପାଠଚକ୍ର ଓ ଆଲୋଚନାଚକ୍ର ନିୟମିତ ଆୟୋଜନ।
ଶିକ୍ଷା ଓ ଆଦିବାସୀ କଲ୍ୟାଣ: ଗୋପାଳବାଡ଼ିସ୍ଥିତ ଉତ୍କଳ ଖଦୀମଣ୍ଡଳ ମାଧ୍ୟମିକ ବିଦ୍ୟାପୀଠ ପରିଚାଳନା, ୧୫୦ ଜଣ ଆଦିବାସୀ ଛାତ୍ରଙ୍କ ପାଇଁ ‘ସହିଦ ଲକ୍ଷ୍ମଣ ନାୟକ ଛାତ୍ରାବାସ’ ପ୍ରତିଷ୍ଠା ଏବଂ ୨୦୨୫ ରେ ଗୋପାଳବାଡ଼ିଠାରେ ଏକ ଲାଇବ୍ରେରି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉନ୍ମୋଚନ କରାଯାଇଅଛି, ୨୦୧୧ରେ ଗୋପାଳବାଡ଼ିଠାରେ ଏକ ଅଭୂତପୂର୍ବ ରାଜ୍ୟ ସର୍ବୋଦୟ ସମ୍ମିଳନୀର ସଫଳ ଆୟୋଜନ, ଯେଉଁଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ପ୍ରତିନିଧି ଯୋଗ ଦେଇଥିଲେ।
ପ୍ରକାଶନ କାର୍ଯ୍ୟ: ଗୋପବନ୍ଧୁ ଚୌଧୁରୀଙ୍କ ରଚିତ ‘ଗାନ୍ଧୀ ଓ ଉତ୍କଳ’ ପୁସ୍ତକର ପୁନଃ ପ୍ରକାଶନ, ଗୁଣନିଧି ମହାନ୍ତିଙ୍କ ଉପରେ ସ୍ମରଣିକା ପ୍ରକାଶ ଏବଂ ପ୍ରଖ୍ୟାତ ସାମ୍ବାଦିକ କୁଳଦୀପ ନାୟାରଙ୍କ ସ୍ମୃତିରେ ସ୍ମରଣିକା ପ୍ରକାଶନ। ଆଜି ମଣ୍ଡଳର ବ୍ୟାଙ୍କ ଖାତାରେ ଉପଯୁକ୍ତ ପରିମାଣର ଅର୍ଥ ଗଚ୍ଛିତ ଅଛି — ଯାହା ଏକଦା ଶୂନ୍ୟ ଥିଲା। ପ୍ରତି ମାସ ଦ୍ୱିତୀୟ ଶନିବାର ଅନୁଷ୍ଠିତ ହେଉଥିବା ସମାଲୋଚନା ବୈଠକ ମାଧ୍ୟମରେ ଖଦୀ ବିକ୍ରୟ, ଗ୍ରାମୀଣ ସ୍ୱାବଲମ୍ବନ, ଗ୍ରାମୋଦ୍ୟୋଗ, ଶିକ୍ଷା ଓ ଯୁବପିଢ଼ିଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧର ପ୍ରସାର ଭଳି ବିଭିନ୍ନ କାର୍ଯ୍ୟକୁ ଏକ ଶୃଙ୍ଖଳିତ ମାର୍ଗଦର୍ଶନ ମିଳୁଛି।
ସେବାର ଏକ ଦୀର୍ଘ ଐତିହ୍ୟ
ଶ୍ରୀ ବୈଷ୍ଣବ ଦାସ ସମାଜସେବା କ୍ଷେତ୍ରରେ ନୂଆ ନୁହଁନ୍ତି। ତାଙ୍କ ପିତା ସ୍ୱର୍ଗତ ସୋମନାଥ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ପିଲାଦିନୁ ସମାଜବାଦୀ ଚିନ୍ତାଧାରାରେ ପ୍ରଭାବିତ ଶ୍ରୀ ଦାସ ଜୟପ୍ରକାଶ ନାରାୟଣଙ୍କ ‘ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ’ରେ ସକ୍ରିୟ ଭାବେ ସାମିଲ ହୋଇଥିଲେ, କୃଷକ ଓ ଶ୍ରମିକ ସ୍ୱାର୍ଥରେ ଦଶନ୍ଧି ଧରି କାର୍ଯ୍ୟ କରିଆସିଛନ୍ତି ଏବଂ ରାଜ୍ୟ ନିଶାନିବାରଣ ପରିଷଦର ଉପ-ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି। ୧୯୯୨ରେ ବାବ୍ରୀ ମସଜିଦ୍ ଘଟଣା ପରେ କଟକରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପୁନଃ ସ୍ଥାପନ ପାଇଁ ତାଙ୍କର ଉଦ୍ୟମ ଏବଂ ‘ମୈତ୍ରୀ ସଂସଦ’ ଗଠନ ତାଙ୍କ ସାମାଜିକ ପ୍ରତିବଦ୍ଧତାର ପରିଚାୟକ।
ଆଗକୁ ଆଗେଇ ଚାଲିଛି ଏକ ଆଦର୍ଶ ଅଭିଯାନ
ଉତ୍କଳ ଖଦୀ ମଣ୍ଡଳର ଇତିହାସ କେବଳ ଏକ ଅନୁଷ୍ଠାନର ଉତ୍ଥାନ-ପତନର କାହାଣୀ ନୁହେଁ, ଏହା ଏକ ପ୍ରତିବଦ୍ଧତା, ସେବା ଓ ପୁନରୁତ୍ଥାନର ଅନୁପ୍ରେରଣାଦାୟୀ ଉଦାହରଣ। ଆର୍ଥିକ ସଙ୍କଟ, ଜବରଦଖଲର ଚେଷ୍ଟା ଓ ଅନେକ ପ୍ରତିକୂଳତା ସତ୍ତ୍ୱେ ଶ୍ରୀ ବୈଷ୍ଣବ ଦାସଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ମଣ୍ଡଳ ଆଜି ପୁନଃ ଏକ ସକ୍ରିୟ, ସୁସଂଗଠିତ ଓ ସମ୍ମାନଜନକ ଗାନ୍ଧୀବାଦୀ ଅନୁଷ୍ଠାନ ଭାବେ ଓଡ଼ିଶାର ଗ୍ରାମାଞ୍ଚଳରେ ଖଦୀ, ଗ୍ରାମୋଦ୍ୟୋଗ, ଶିକ୍ଷା ଓ ସର୍ବୋଦୟ କାର୍ଯ୍ୟର ପ୍ରସାର କରି ଚାଲିଛି। ମହାତ୍ମା ଗାନ୍ଧୀଙ୍କ ସ୍ୱାବଲମ୍ବନ ଓ ଗ୍ରାମ ସ୍ୱରାଜର ସ୍ୱପ୍ନକୁ ଓଡ଼ିଶାର ମାଟିରେ ଜୀବନ୍ତ ରଖିବାରେ ଉତ୍କଳ ଖଦୀ ମଣ୍ଡଳ ଓ ତାହାର ସଭାପତି ଶ୍ରୀ ବୈଷ୍ଣବ ଦାସଙ୍କ ଭୂମିକା ପ୍ରକୃତରେ ପ୍ରଶଂସନୀୟ ଓ ଅନୁକରଣୀୟ।
ଗାନ୍ଧୀଜୀଙ୍କ ବାଣୀ: “ଖଦୀ ଲୁଗା ପରିଧାନ କଲେ ଗରିବ ଶ୍ରମଜୀବୀ ପେଟକୁ ଦାନା ମିଳେ।”
